"ଗଳ୍ପ, ଉପନ୍ୟାସ ଏବଂ ଜଳଛବି ରଚନା କ୍ଷେତ୍ରରେ ଅସାମାନ୍ୟ ପ୍ରସିଦ୍ଧି ଅର୍ଜନ କରିଥିବା ଗୌରହରି ଦାସ (୧୯୬୦) ମଧ୍ୟ ଜଣେ ଯଶସ୍ୱୀ ନାଟ୍ୟକାର । ତାଙ୍କର ପ୍ରଥମ ନାଟକ ""ଅପରାଧ' ୨୦୦୦ ମସିହାରେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ନୂଆ ନାଟକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଏହାପରେ ତାଙ୍କର ""ଆମ ଘର ନକ୍]ସା' ୨୦୨୧ରେ ପ୍ରକାଶିତ ହୋଇଥିଲା । ତାଙ୍କ ଲିଖିତ ""ଆସାମୀ', ""ମାୟା' ଏବଂ ""ନୂଆ ଠିକଣା' ତିନିଟି ନାଟକ ଏହି ସଂକଳନରେ ସ୍ଥାନିତ ହୋଇଅଛି । ଏତଦ୍ ଭିନ୍ନ ଗୌରହରି ଦାସଙ୍କ କାହାଣୀ ଆଧାରିତ ""ଅହଲ୍ୟାର ବାହାଘର', ""ଫୁଲନୋଳ', ""ଆମ୍ଭେ ସବୁ ଶ୍ୱାନପାଳ', ""ଶିକୁଳି' ପ୍ରଭୃତି ବହୁ ନାଟକ ଓଡ଼ିଶାର ବିଶିଷ୍ଟ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ ବିଭିନ୍ନ ମଞ୍ଚରେ ମଞ୍ଚସ୍ଥ ହୋଇଅଛି । ସେହିପରି ""ଘର', ""ଛୁଆ ବାଆଜି', ""ଖୋଳପା', ""ହସ୍ତାକ୍ଷର' ପ୍ରଭୃତି ଟେଲିଭିଜନ୍ ସିରିଆଲ୍ ଓ ଟେଲି-ସିନେମା ଭାବରେ ପ୍ରସାରିତ ହୋଇଅଛି । ୨୦୨୨ରେ ଇଣ୍ଡିଆନ୍ ପାନୋରମାରେ ସ୍ଥାନୀତ ଏବଂ ବିଭିନ୍ନ ସ୍ୱଦେଶୀ-ବିଦେଶୀ ପୁରସ୍କାର ଲାଭ କରିଥିବା ଓଡ଼ିଆ ଫିଲ୍ମ ""ପ୍ରତୀକ୍ଷା' ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ""ବାପା' ଉପରେ ଆଧାରିତ ।ଗୌରହରି ଦାସ ଜାତୀୟ ଏବଂ ରାଜ୍ୟସ୍ତରରେ ବହୁ ପୁରସ୍କାର ଲାଭ କରିଛନ୍ତି । ତା ମଧ୍ୟରୁ କେତୋଟି ହେଲା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଶାରଳା ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ଏବଂ ଉତ୍କଳ ସାହିତ୍ୟ ସମାଜ ପୁରସ୍କାର । ତାଙ୍କ ସାହିତ୍ୟର ବିଶେଷତ୍ୱ ହେଲା, ସକଳ ଅନ୍ଧାର ଭିତରେ ଏହା ଆସ୍ଥାର ଆଲୋକ ଦେଖାଇଥାଏ ।"